ଆଶାହରା ହୁଅନା
୧ ଜୀବନଯାତ୍ରା ସର୍ବଦା ସହଜଗମ୍ୟ ନୁହେଁ
ଆମ୍ଭେମାନେ ପ୍ରତ୍ୟେକ ଅନେକ ସ୍ଵପ୍ନ, ଲକ୍ଷ୍ୟ, ଉଚ୍ଚାଭିଳାଷ ଓ ଆକାଂକ୍ଷା ନେଇ ଜୀବନଯାତ୍ରା ଆରମ୍ଭ କରିଥାଉ। ଆମେ ଯାହା କରିବାକୁ ଇଚ୍ଛା କରୁ, ଯେଉଁ ସ୍ଥାନକୁ ଯିବାକୁ ଚାହିଁଥାଉ ଓ ଜୀବନରେ ଯାହା ହେବାକୁ ଚାହିଁଥାଉ ସେ ବିଷୟରେ ଅନେକ ଉତ୍ସୁକତା ସହିତ ଆମେ ଯୋଜନା ପ୍ରସ୍ତୁତ କରିଥାଉ। କିନ୍ତୁ ଯାତ୍ରା ମଧ୍ୟରେ ଆମକୁ ନିଶ୍ଚିତ ରୂପେ ଅନେକ ଝଡ଼ଝଞ୍ଜା ର ସାମ୍ନା କରିବାକୁ ହୋଇଥାଏ। ଜୀବନଯାତ୍ରା ସର୍ବଦା ସରଳ ଓ ସ୍ଵାଭାବିକ ହୋଇନଥାଏ। ଆମେ ବାଞ୍ଛା କରିଥାଉ, ଆମ ଜୀବନ ଗପବହି ପରି ସହଜ ହୋଇଥାନ୍ତା କି? କିନ୍ତୁ ସର୍ବଦା ସେପରି ହୋଇନଥାଏ। ଅନପେକ୍ଷିତ ଆହ୍ବାନ, ଦୁଃଖକଷ୍ଟ ଓ ପରିସ୍ଥିତି ସମୂହ ଯାତ୍ରାପଥରେ ଆସି ପହଞ୍ଚିଥାନ୍ତି।
ଏହିପରି ସମୟରେ ଆମର ସମସ୍ତ ଲକ୍ଷ୍ୟ ଓ ସ୍ଵପ୍ନ ଆଉ ସାକାର ହେବ ନାହିଁ ବୋଲି ମନେ ହୁଏ। ଅନେକ ସମୟରେ ଆମେ ଏପରି ପରିସ୍ଥିତି ସମୂହ ମଧ୍ଯରେ ପଡ଼ିଯାଉ ଯେ ସେଥିରୁ ରକ୍ଷା ପାଇବାର ଆଶା ଆଉ ନାହିଁ ବୋଲି ମନେ ହୁଏ। ଆମେ ଆଶାହରା ହୋଇପଡୁ। ଆମେ ପରିତ୍ୟକ୍ତ ମନେ କରୁ। ଆମେ ମନେ କରୁ, “ମୁଁ ଆଉ କିଛି କରିପାରିବି ନାହିଁ” ଅବା “ମୁଁ ମୋର ଲକ୍ଷ୍ୟ ହାସଲ କରିପାରିବି ନାହିଁ”।
ଅନେକ ସମୟରେ ଅନପେକ୍ଷିତ ଭାବରେ ଜୀବନର ଗତିପଥ ବଦଳିଯାଏ ଓ ଯେଉଁସବୁ ପରିସ୍ଥିତିକୁ ସାମ୍ନା କରିବାକୁ ଆମେ ଆଦୌ ପ୍ରସ୍ତୁତ ନୋହୁଁ ସେସବୁର ସମ୍ମୁଖୀନ ହେବାକୁ ହୋଇଥାଏ।
ଏହି ପୁସ୍ତକରେ ଅନେକ ଉତ୍ସାହଜନକ ବାକ୍ୟ ରହିଛି ଯାହାକି ଆମ୍ଭମାନଙ୍କୁ ନିରାଶ ନ ହେବାକୁ ପରାମର୍ଶ ଦେଇଥାଏ।
ଆଶାୟୀ ହେବା ଗୁରୁତ୍ଵପୂର୍ଣ୍ଣ
ଆଶାୟୀ ହେବା ଅତି ଗୁରୁତ୍ବପୂର୍ଣ୍ଣ। “ଆଶାର” ଅର୍ଥ ଭରସା, ଅପେକ୍ଷା, ଯାହା ଆମେ ଚାହିଁଥାଉ, ବାଞ୍ଛା, ସ୍ଵପ୍ନ ବା ଉଚ୍ଚାଭିଳାଷ। ଖ୍ରୀଷ୍ଟିୟାନଙ୍କ ଜୀବନରେ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଦୃଷ୍ଟିକୋଣ ହେଉଛି ଆଶା ବା ଭରସା। ଖ୍ରୀଷ୍ଟିୟ ଆଚରଣର ତିନୋଟି ବିଶେଷ ଦିଗ ମଧ୍ୟରୁ ଭରସା ଅନ୍ୟତମ।
“ଅତଏବ ବିଶ୍ବାସ, ଭରସା, ପ୍ରେମ, ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ।” (୧ କରି, ୧୩:୧୩)
ବାଇବେଲର ଈଶ୍ବର ମୃତକୁ ପୁନର୍ଜୀବିତ କରିପାରନ୍ତି, ଅର୍ଥାତ୍ ସେ ମୃତବତ୍ ଓ ଆଶାଶୂନ୍ୟ ପରିସ୍ଥିତି ଓ ଅବସ୍ଥା ସବୁ ଉଜ୍ଜୀବିତ କରିପାରନ୍ତି। ସେ ଚତୁଃପାର୍ଶ୍ୱସ୍ଥ ନିରାଶାଜନକ ପରିସ୍ଥିତି ସମୂହକୁ ପରିବର୍ତ୍ତନ କରିବାରେ ସିଦ୍ଧହସ୍ତ ଅଟନ୍ତି।
ପରିତ୍ରାଣର ଭରସା
“କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ଵାସ ଓ ପ୍ରେମରୂପ ଉରସ୍ତ୍ରାଣ ପରିଧାନ କରି ପରିତ୍ରାଣର ଭରସାରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ।” (୧ ଥେସ ୫:୮)
“ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ଵାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସପ୍ତମର କାରଣ ହେବ। ତୁମ୍ଭେମାନେ ତାହାଙ୍କୁ ନ ଦେଖ୍ ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେ ହେଁ ତାହାଙ୍କ ଠାରେ ବିଶ୍ଵାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ଵାସର ଲକ୍ଷ୍ୟ ଯେ ଆମ୍ବାର ପରିତ୍ରାଣ, ତାହା ପାଉଅଛ।” (୧ ପିତର ୧:୭-୯)
ବର୍ତ୍ତମାନ ପରିତ୍ରାଣର ପ୍ରାରମ୍ଭ ହୋଇଥିଲେ ହେଁ ପରିତ୍ରାଣର ଅନ୍ୟ ଏକ ଅଂଶକୁ ପାଇବା ପାଇଁ ଆମେ ଅନାଇ ରହିଛୁ।
ଖ୍ରୀଷ୍ଟଙ୍କ ଆଗମନର ଭରସା
“ସେହି ଆନନ୍ଦଦାୟକ ଭରସା ପୁଣି ଆମ୍ଭମାନଙ୍କ ମହାନ୍ ଈଶ୍ବର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ।” (ତିତସ ୨:୧୩)
ପୁନରୁତ୍ଥାନର ଭରସା
“ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ବୋଲି ଯାହା ଏମାନେ ନିଜେ ଅପେକ୍ଷା କରନ୍ତି, ମୁଁ ମଧ୍ୟ ଈଶ୍ବରଙ୍କ ଠାରେ ସେହିପ୍ରକାର ଭରସା ରଖୁଅଛି।” (ପ୍ରେରିତ ୨୪:୧୫)
୩ ଭରସାର ମହତ୍ତ୍ବ
ଆମ ଦୈନନ୍ଦିନ ଜୀବନରେ ଭରସାର ସ୍ଥାନ ଅତି ଗୁରୁତ୍ଵପୂର୍ଣ୍ଣ। ନିରାଶାଜନକ ପରିସ୍ଥିତିରେ ମଧ୍ୟ ଆମେ ଆଶାପୂର୍ଣ୍ଣ ଜୀବନଯାପନ କରିବା ଉଚିତ। ସର୍ବଦା ଭରସାଯୁକ୍ତ ହୋଇ ଜୀବନଯାପନ କରିବା ଯେ କାହିଁକି ଗୁରୁତ୍ଵପୂର୍ଣ୍ଣ ତା’ର ଅନେକ କାରଣ ରହିଛି।
“ଆଶାସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ; ମାତ୍ର ବାଞ୍ଛାର ସିଦ୍ଧି ଜୀବନ ବୃକ୍ଷ ସ୍ଵରୂପ।” (ହିତୋ ୧୩:୧୨)
ଅନେକ ସମୟରେ ଆମର ଆକାଂକ୍ଷିତ ବିଷୟ ପାଇବାରେ ବିଳମ୍ବ ଘଟିଥାଏ। କୌଣସି ବର୍ଷ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପନ୍ନ ହେବାକୁ ଆମେ ଅପେକ୍ଷା କରିଥାଉ କିନ୍ତୁ ବର୍ଷ ବିତିଗଲେ ବି ତାହା ହୋଇପାରେନା। ଏପରି ବିଳମ୍ବ ଘଟିଚାଲିଲେ ଆମେ ଆଶା ହରାଇ ବସୁ ଓ ଆନ୍ତରିକ ଭାବେ ଦୁର୍ବଳ ହୋଇପଡୁ।
ଭରସା ପ୍ରାଣର ଲଙ୍ଗର ସ୍ବରୂପ
“ସେହି ଭରସା ଆମ୍ଭମାନଙ୍କ ପ୍ରାଣର ଲଙ୍ଗର ସ୍ୱରୂପ।” (ଏବ୍ରୀ ୬:୧୯)
ଭରସା ପ୍ରାଣର ଲଙ୍ଗର ସ୍ଵରୂପ। ପ୍ରାଣ କହିଲେ ମନ, ଇଚ୍ଛା ଓ ଭାବପ୍ରବଣତାକୁ ବୁଝାଏ। ଜାହାଜକୁ ସ୍ଥିର ରଖୁବାକୁ ଲଙ୍ଗର ବ୍ୟବହୃତ ହୋଇଥାଏ। ପ୍ରାଣ ନିମନ୍ତେ ଭରସା ଅନୁରୂପ କାର୍ଯ୍ୟ କରିଥାଏ। ଲଙ୍ଗର ପକାଇଲେ ଝଡ଼ ତୋଫାନ ମଧ୍ୟରେ ମଧ୍ୟ ଜାହାଜ ସ୍ଥିର ରହେ।
ଭରସା ବିଶ୍ଵାସର ପୂର୍ବଲକ୍ଷଣ
“ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।” (ଏବ୍ରୀ ୧୧:୧)
ଭରସା ଗୁରୁତ୍ଵପୂର୍ଣ୍ଣ, କାରଣ ବିଶ୍ଵାସ ଭରସା ଉପରେ ନିର୍ଭରଶୀଳ। ପ୍ରଥମେ ଭରସା ତା’ପରେ ବିଶ୍ଵାସ ଜାତ ହୋଇଥାଏ। ମନେ କରନ୍ତୁ ଜଣେ ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛି ଓ ଡାକ୍ତରମାନେ କହୁଛନ୍ତି ଚିକିତ୍ସା ବିଜ୍ଞାନ ତାକୁ ସାହାଯ୍ୟ କରିବା ପାଇଁ ଆଉ କିଛି କରିପାରିବ ନାହିଁ।
୪ ଈଶ୍ଵର ନିରାଶାଜନକ ପରିସ୍ଥିତିକୁ ପରିବର୍ତ୍ତନ କରିପାରନ୍ତି
ଆମେ ବୁଝିବା ଆବଶ୍ୟକ ଯେ, ପରିସ୍ଥିତି ଯାହା ହେଉ ନା କାହିଁକି, ଯେତେ ନିରାଶାଜନକ ମନେ ହେଉ ନା କାହିଁକି ସମସ୍ତ ନିରାଶାଜନକ ପରିସ୍ଥିତିକୁ ବଦଳାଇ ପାରିବା କ୍ଷମତା କେବଳ ଈଶ୍ଵରଙ୍କଠାରେ ହିଁ ରହିଛି। ଆମେନ୍! ଏହି ନିରାଶାଜନକ ପରିସ୍ଥିତିର କାରଣ ହୁଏତ ଆପଣଙ୍କ ବିବାହ, ଆପଣଙ୍କ କାର୍ଯ୍ୟ, ଆପଣଙ୍କ ପିଲାମାନେ, ଅର୍ଥର ଅଭାବ, ଚାକିରୀ ବା ଶିକ୍ଷା ବା ଅନ୍ୟ କିଛି ହୋଇପାରେ। ପରିସ୍ଥିତି ଯାହା ହେଉନା କାହିଁକି ଆମେ ମନେ ରଖିବା ଉଚିତ ଯେ ଆମେ ଯେଉଁ ଈଶ୍ବରଙ୍କର ସେବା କରୁ ସେ ନିରାଶାଜନକ ପରିସ୍ଥିତି ସମୂହକୁ ପରିବର୍ତ୍ତନ କରିପାରନ୍ତି। ଏଣୁ ଆମେ ଆଶା ଶୂନ୍ୟ ହେବା ଅନୁଚିତ। ବାଇବଲର କେତୋଟି ଜଣାଶୁଣା ଘଟଣାଗୁଡ଼ିକ ଆମେ ଧ୍ୟାନ କରିବା କିପରି ଈଶ୍ଵର ନିରାଶାଜନକ ପରିସ୍ଥିତିକୁ ପରିବର୍ତ୍ତନ କରିଥିଲେ।
ଗରିବ ବିଧବା
ଜଣେ ବ୍ୟକ୍ତି ଅନେକ ଅର୍ଥ ରୁଣ କରିଥିଲେ ଓ ମୃତ୍ୟୁବେଳକୁ ସେସବୁ ପରିଶୋଧ ହୋଇପାରିନଥିଲା। ତାଙ୍କର ଦୁଇ ପୁଅ ଓ ସ୍ତ୍ରୀ ଜୀବିତ ଥିଲେ। “୨ ରାଜା ୪:୧୭”
ଋଣଦାତାମାନେ ଆସି ରୁଣ ଶୁଝିବା ପାଇଁ ଦାବି କରୁଥିଲେ ଓ ଶୁଝି ନ ପାରିଲେ ଦୁଇ ପୁଅଙ୍କୁ ନେଇଯିବା ପାଇଁ ଧମକ ଦେଉଥିଲେ। ଏହି ସ୍ତ୍ରୀ ଲୋକର ପରିସ୍ଥିତି ନିଶ୍ଚିତ ରୂପେ ନିରାଶାଜନକ ଥିଲା। ସେ ପ୍ରଭୁଙ୍କ ଦାସ ଇଲୀଶାୟଙ୍କ ନିକଟକୁ ଯାଇ ତା’ର ଦୁର୍ଦ୍ଦଶା ବର୍ଣ୍ଣନା କଲା ଓ ତାଙ୍କ ସାହାଯ୍ୟ ମାଗିଲା। ସେ ତାକୁ ପଚାରିଲେ ସେ ଘରେ କ’ଣ ରଖୁଛି। ସ୍ତ୍ରୀ ଲୋକଟି କହିଲା ଏକ ପାତ୍ର ତୈଳ ଛଡ଼ା ତାଙ୍କ ଘରେ ଆଉ କିଛି ନାହିଁ। ଇଲୀଶାୟ ତାକୁ କହିଲେ ଯେତେ ପାରିବ ସେତେ ଶୂନ୍ୟ ପାତ୍ର ସଂଗ୍ରହ କରି ସେଥିରେ ସେ ସେହି ତୈଳ ଭର୍ତ୍ତି କରୁ। ଆଶ୍ଚର୍ଯ୍ୟଜନକ ଭାବେ ଗୋଟିଏ ପାତ୍ରର ତୈଳରେ ସବୁ ପାତ୍ରରେ ତୈଳ ଭର୍ତ୍ତି ହେଲା। ସେହି ସବୁ ପାତ୍ରର ତୈଳ ବିକ୍ରି କରି ରୁଣ ଶୁଝି ନୂଆ ଜୀବନ ଆରମ୍ଭ କରିବାକୁ ଇଲୀଶାୟ ପରାମର୍ଶ ଦେଲେ। ଏହି ସ୍ତ୍ରୀ ଲୋକର ଅଭାବକୁ ଆଶ୍ଚର୍ଯ୍ୟଜନକ ଭାବେ ପୂରଣ କରି ଈଶ୍ଵର ଏକ ନିରାଶାଜନକ ପରିସ୍ଥିତିକୁ ପରିବର୍ତ୍ତନ କରିଥିଲେ।
ବିବାହ ଭୋଜରେ ସାଧୂତ ଆଶ୍ଚର୍ଯ୍ୟକର୍ମ
ବିବାହ ଭୋଜର ଅଧ୍ୟକ୍ଷଙ୍କ ପାଖରେ ଦ୍ରାକ୍ଷାରସ ନ ଥିଲା। ଏକ ସାଧାରଣ ଅଭାବ, ତଥାପି ପରିସ୍ଥିତି ଅଣାୟତ୍ତ, ଆଶାଶୂନ୍ୟ ଥିଲା। କ’ଣ କରିବେ ବୋଲି ଚିନ୍ତା କରୁଥିବା ବେଳେ ଯୀଶୁଙ୍କ ମାତା ମରିୟମ୍ ଭୋଜର ପରିଚାରକମାନଙ୍କୁ କହିଲେ, “ୟୀଶୁ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା କର।”
ଯୀଶୁ ସେମାନଙ୍କୁ ନିର୍ଦ୍ଦେଶ ଦେଲେ ଯେପରି ସେମାନେ ଜଳପାତ୍ର ସବୁକୁ ଜଳରେ ଭର୍ତ୍ତି କରି ଅତିଥିମାନଙ୍କୁ ପରିବେଷଣ କରନ୍ତି। ଆଶ୍ଚର୍ଯ୍ୟଜନକ ଭାବରେ ଜଳ ଦ୍ରାକ୍ଷାରସରେ ପରିଣତ ହେଲା ଓ ବିବାହ ଭୋଜରେ ଯୋଗ ଦେଇଥିବା ସମସ୍ତେ ପରିତୃପ୍ତ ହେଲେ।
“ଯୋହନ ୨:୧-୧୧”
ଆଶ୍ଚର୍ଯ୍ୟ ଯୋଗାଣର ଅନ୍ୟ ଏକ ଉଦାହରଣ! ପ୍ରଭୁଙ୍କ କଥା ଶୁଣି ସେ ଯାହା କହନ୍ତି ତାହା କରିବା ଦ୍ବାରା ନିରାଶାଜନକ ପରିସ୍ଥିତିରେ ପରିବର୍ତ୍ତନ ଆସେ।
ଏକ ନିରାଶାଜନକ ରାତ୍ରିର ପରବର୍ତ୍ତୀ ସକାଳ
ପ୍ରଭୁ ଯୀଶୁଙ୍କ ଦ୍ବାରା ସାଧୁତ ଏହା ଏକ ବ୍ୟବସାୟିକ ଆଶ୍ଚର୍ଯ୍ୟକର୍ମ ଥିଲା ଯାହା କୂଳ ୫ ଅଧ୍ୟାୟରେ ଆମ୍ଭେ ପଢୁ। ପିତରଙ୍କର ଅନ୍ୟ ବ୍ୟବସାୟୀ ଅଂଶୀଦାରମାନେ ଥିଲେ – ଯାକୁବ, ଯୋହନ ଓ ଆନ୍ଦ୍ରିୟ। ଏମାନେ ମାଛ ବ୍ୟବସାୟ କରୁଥିଲେ। ସେମାନେ ମାଛୁଆ ଥିଲେ। ଥରେ ସାରା ରାତି ଜାଲ ପକାଇ ସେମାନେ କିଛି ହେଲେ ଧରିପାରିନଥିଲେ। ପରଦିନ ସକାଳେ ସେମାନେ ସମୁଦ୍ରରୁ ଫେରିବା ବେଳେ ଯୀଶୁଙ୍କ ସଙ୍ଗେ ସେମାନଙ୍କର ସାକ୍ଷାତ ହେଲା। ତାଙ୍କ ବାକ୍ୟ ଶୁଣିବାକୁ ସମୁଦ୍ର କୂଳରେ ଏକତ୍ର ହୋଇଥିବା ଜନତାଙ୍କ ନିକଟରେ ସେମାନଙ୍କର ନୌକା ଉପରେ ରହି ପ୍ରଚାର କରିବେ ବୋଲି ସେ ସେମାନଙ୍କୁ ଅନୁରୋଧ କଲେ। ପ୍ରଚାର ସରିବା ପରେ ଯୀଶୁ ପିତରଙ୍କୁ କହିଲେ ଯେପରି ସେ ଆଉ ଥରେ ସମୁଦ୍ର ଭିତରକୁ ଯାଇ ଜାଲ ପକାନ୍ତି। ପିତର କହିଲେ, “ହେ ପ୍ରଭୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରି ନାହୁଁ, କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି।”(ଲୂକ ୫:୫) ପିତର ଜାଣିଥିଲେ ଯେ ସେ ନିଜ ଚେଷ୍ଟାରେ କିଛି ମାଛ ଧରିପାରି ନାହାନ୍ତି। ତଥାପି ସେ ଯୀଶୁଙ୍କ କଥା ମାନି ଆଉ ଥରେ ଚେଷ୍ଟା କରିବାକୁ ଇଚ୍ଛୁକ ଥିଲେ।
ପ୍ରଭୁଙ୍କର ପଦେ କଥା ନିରାଶାଜନକ ପରିସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା। ପ୍ରଭୁଙ୍କ ନିର୍ଦ୍ଦେଶ ପ୍ରତି ପିତରଙ୍କ ଅକୁଣ୍ଠିତ ବାଧ୍ୟତା ଦ୍ଵାରା ଏକ “ଆର୍ଥିକ ଆଶ୍ଚର୍ଯ୍ୟକର୍ମ” ସାଧୂତ ହୋଇଥିଲା।
ଇଶ୍ରାଏଲ ଜାତି
ଯିହୁଦୀ ଲୋକମାନେ ସମଗ୍ର ଜଗତରେ ଛିନ୍ଛତ୍ର ଓ ବିକ୍ଷିପ୍ତ ହୋଇ ବାସ କରୁଥିଲେ। ସେମାନେ ନିରାଶ ହୋଇ ପଡ଼ିଥିଲେ। ଯିହିଜିକଳ ୩୭ ପର୍ବରେ ଈଶ୍ଵର ଯିହିଜିକଳଙ୍କୁ ଏକ ଶୁଷ୍କ ଅସ୍ଥିରେ ପୂର୍ଣ୍ଣ ଉପତ୍ୟକା ଦେଖାଇ କହିଲେ ଯେ, ଏହା ଇଶ୍ରାଏଲ୍ର ସାମ୍ପ୍ରତିକ ଦଶାକୁ ସୂଚାଏ।
“ହେ ମନୁଷ୍ୟସନ୍ତାନ ଏହି ଅସ୍ଥିସକଳ ସମୁଦାୟ ଇସ୍ରାଏଲ୍ ବଂଶ ଅଟନ୍ତି; ଦେଖ, ସେମାନେ କହିଛି, ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଭରସା ନଷ୍ଟ ହୋଇଅଛି; ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଚ୍ଛିନ୍ନ ହୋଇଅଛୁ।” (ଯିହି ୩୭:୧୧)
ଇଶ୍ଵର ଯିହିଜିକଳଙ୍କୁ ନିର୍ଦ୍ଦେଶ ଦେଲେ ଯେପରି ସେ ଏହି ଶୁଷ୍କ ଅସ୍ଥି ସକଳ ନିକଟରେ ଭବିଷ୍ୟଦ୍ବାଣୀ ପ୍ରଚାର କରନ୍ତି।
“ଏଥିପାଇଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ହେ ଆମ୍ଭର ଲୋକେ, ଦେଖ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରିବା ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇବା, ଆଉ ତୁମ୍ଭମାନ୍କୁ ଇଶ୍ରାଏଲ୍ ଦେଶକୁ ଆଣିବା।” (ଯିହି ୩୭:୧୨)
ଯହୁଦୀ ଲୋକଙ୍କ ଏକତ୍ରୀକରଣ ଓ ଇଶ୍ରାଏଲ୍ ଜାତିର ପୁନର୍ଗଠନ ସମ୍ପର୍କରେ ଈଶ୍ଵର ତାଙ୍କ ଭାବବାଦୀଙ୍କ ଦ୍ଵାରା ବହୁ ପୂର୍ବରୁ ଭାବବାଣୀ ପ୍ରକାଶ କରିଥିଲେ। ମେ ୧୪, ୧୯୪୮ରେ ଈଶ୍ଵର ତାହାଙ୍କ ବାକ୍ୟ ସଫଳ କରିଥିଲେ। ଇସ୍ରାଏଲ୍ ଏକ ରାଷ୍ଟ୍ରଭାବରେ ଜନ୍ମ ନେଲା।
ପୃଥିବୀର ବିଭିନ୍ନ ପ୍ରାନ୍ତ ରେ ରହିଥିବା ଯିହୂଦୀମାନେ ନିଜ ଦେଶକୁ ଫେରି ଆସିବାକୁ ଲାଗିଲେ।
ଏଣୁ ଯାହା ଆଶାଶୂନ୍ୟ ମନେ ହୁଏ ଈଶ୍ଵର ତାହାକୁ ପରିବର୍ତ୍ତନ କରିଦେଇ ପାରନ୍ତି। କବର ସବୁକୁ ଉନ୍ମୁକ୍ତ କରି ଶୁଷ୍କ ଅସ୍ଥିସକଳକୁ ପୁନର୍ଜୀବିତ କରି ପରିସ୍ଥିତିକୁ ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଈଶ୍ଵର ଇଚ୍ଛା କରନ୍ତି। ଈଶ୍ଵରଙ୍କ ନିକଟରେ ନିରାଶାଜନକ ପରିସ୍ଥିତି ବୋଲି କିଛି ନାହିଁ।
ଅବ୍ରାହାମ ଓ ସାରା
ଅବ୍ରାହାମ ଓ ସାରା ଏକ ସନ୍ତାନ ଲାଭ କରିବେ ବୋଲି ଈଶ୍ଵର ସେମାନଙ୍କୁ ଯେତେବେଳେ ପ୍ରତିଜ୍ଞା ଦେଲେ ସେତେବେଳେ ସେମାନେ ବୃଦ୍ଧି ଓ ଗତବୟସ୍କ ଥିଲେ। ସେ ସେମାନଙ୍କୁ ପ୍ରତିଜ୍ଞା ଦେଇ କହିଲେ ଯେ, ସେମାନେ ଏକ ପୁତ୍ର ଲାଭ କରିବେ ଓ ଏହି ପୁତ୍ରର ବଂଶଧର ଆକାଶର ତାରା ଓ ସମୁଦ୍ରର ବାଲୁକା ପରି ଅସଂଖ୍ୟ ହେବେ। ସନ୍ତାନ ପାଇବା କ୍ଷେତ୍ରରେ ଏହା ଏକ ନିରାଶାଜନକ ପରିସ୍ଥିତି ଥିଲା, କାରଣ ଦୀର୍ଘ ବର୍ଷ ଧରି ସେମାନେ ନିଃସନ୍ତାନ ଥିଲେ। ଅବ୍ରାହାମଙ୍କ ବୟସ ୯୯ ବର୍ଷ ଓ ସାରା ବନ୍ଧ୍ୟା ଥିଲେ, ଏଣୁ କୌଣସି ଆଶା ନଥିଲା।
ଏହି ପରିସ୍ଥିତି ସମ୍ପର୍କରେ ବାଇବଲ୍ କ’ଣ କହେ ତାହା ରୋମୀ ୪:୧୭, ୧୮ରେ ଆମେ ପଢୁ। ଅନୁସରଣ କରିବା ପାଇଁ ଏହା ଏକ ମହାନ୍ ଆଦର୍ଶ।
“ଯେଉଁ ଈଶ୍ଵରଙ୍କୁ ସେ ବିଶ୍ଵାସ କଲେ, ଯେ ମୃତମାନଙ୍କୁ ସଜୀବ କରନ୍ତି ଓ ନଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ଵରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖାଅଛି, ଆମ୍ଭେ, ତୁମ୍ଭଙ୍କୁ ବହୁଜାତିର ପିତା କରିଅଛୁ। ‘ଏହିପରି ତୁମ୍ଭର ବଂଶ ହେବ’ ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥୁନିମନ୍ତେ ଆଶା ନଥିଲେ ସୁଦ୍ଧା ଆଶା ରଖି ସେ ବିଶ୍ଵାସ କଲେ।” (ରୋମୀ ୪:୧୭-୧୮)
ଅବ୍ରାହାମ “ଆଶା ନଥିଲେ ସୁଦ୍ଧା ଆଶା ରଖି ବିଶ୍ଵାସ କଲେ”। ଭରସାର କୌଣସି କାରଣ ନଥିଲେ ମଧ୍ୟ ଈଶ୍ଵରଙ୍କ ବାକ୍ୟରେ ଭରସା ରଖି ସେ ବିଶ୍ଵାସ କଲେ। ସେ ଆଶା ରଖି ବିଶ୍ଵାସ କରିବାରୁ, “ଯେଉଁ କଥା କୁହାଯାଇଥିଲା...ତଦନୁସାରେ...ହେଲେ”।
ଈଶ୍ଵର ଆପଣଙ୍କୁ ଯଦି କୌଣସି ପ୍ରତିଜ୍ଞା ଦିଅନ୍ତି, କେବେହେଲେ କୁହନ୍ତୁ ନାହିଁ, “ପ୍ରଭୁ, ଏହି ପ୍ରତିଜ୍ଞା ହାସ୍ୟାସ୍ପଦ”। ଈଶ୍ଵର ଦତ୍ତ ପ୍ରତିଜ୍ଞା କେବେ ହେଲେ ହାସ୍ୟାସ୍ପଦ ହୋଇପାରିବ ନାହିଁ, କାରଣ ଈଶ୍ଵର ମୃତକୁ ଜୀବନଦାନ କରିପାରନ୍ତି।
ଏଣୁ ପରିସ୍ଥିତି ଯେତେ ନିରାଶାଜନକ ହେଲେ ମଧ୍ୟ ଈଶ୍ଵରଙ୍କ ପ୍ରତିଜ୍ଞା ସଫଳ ହେବା ନିଶ୍ଚିତ। ମନେ ରଖନ୍ତୁ ଯେଉଁ ଈଶ୍ଵର ଆପଣଙ୍କୁ କଥା କହୁଛନ୍ତି ସେ ମୃତମାନଙ୍କୁ ସଜୀବ କରନ୍ତି ଓ ନଥୁବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି। ସେ ଯେକୌଣସି ପରିସ୍ଥିତିକୁ ପରିବର୍ତ୍ତନ କରିଦେଇପାରନ୍ତି।
ଈଶ୍ଵର ଯେ କେବଳ ପରିସ୍ଥିତିକୁ ସୁଧାରି ପାରନ୍ତି ତା’ ନୁହେଁ ସେ ପରିସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇ ପାରନ୍ତି! ଯେଉଁ ବିଷୟର ଅସ୍ତିତ୍ଵ ନାହିଁ ତାହାକୁ ସେ ସୃଷ୍ଟି କରିପାରନ୍ତି। ବର୍ତ୍ତମାନ ଆପଣଙ୍କ ଘରେ ଶାନ୍ତି ନାହିଁ; କିନ୍ତୁ ଈଶ୍ଵର ଶାନ୍ତି ଆଣିଦେଇ ପାରନ୍ତି। ଆପଣଙ୍କ ଶରୀରରେ ସ୍ଵାସ୍ଥ୍ୟ ନାହିଁ, ଈଶ୍ଵର ଆପଣଙ୍କୁ ସୁସୁତା ଦେଇପାରନ୍ତି। ଆପଣଙ୍କ ଗୃହ, ଚାକିରୀ ବା ବୃଦ୍ଧିରେ ଆପଣ ଯଦି ଅକୃତକାର୍ଯ୍ୟ ଅଟନ୍ତି ଈଶ୍ଵର ଆପଣଙ୍କୁ କୃତକାର୍ଯ୍ୟ ହେବାକୁ ଦେବେ।
୫ ଏକ ନିରାଶାଜନକ ପରିସ୍ଥିତିରେ ଆଶାୟୀ ହେବା ପାଇଁ ଆଧାର
ଏକ ନିରାଶାଜନକ ପରିସ୍ଥିତିରେ ଜଣେ କାହାକୁ ନେଇ ଆଶାବାଦୀ ହୋଇପାରିବ? ଏହା କ’ଣ ଏକ ବିଚିତ୍ର ଅବାସ୍ତବ କଳ୍ପନା ନୁହେଁ? କୌଣସି ବିଷୟରେ କ’ଣ ଏହା ଏକ ମାନସିକ ପ୍ରଶ୍ନ? ଏହାକୁ ସକାରାତ୍ମକ ଚିନ୍ତାଧାରା କୁହାଯିବ କି? ସକାରାତ୍ମକ ହେବା ପାଇଁ ଚେଷ୍ଟା କରିବା ଓ ସକାରାତ୍ମକ ରହିବା ନିମନ୍ତେ ଏହା ଏକ ମାନବୀୟ ଯୋଜନା କି? ତେବେ ସବୁଠୁ କଠିନ ପରିସ୍ଥିତିରେ ମଧ୍ୟ ଆମେ ଆଶାୟୀ ହୋଇପାରୁ। କେବଳ ଈଶ୍ଵର ଓ ତାହାଙ୍କ ବାକ୍ୟ ଯୋଗୁଁ ଏହା ସମ୍ଭବ ହୋଇଥାଏ।
“ଏହିପରି ତୁମ୍ଭର ବଂଶ ହେବ – ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥି ନିମନ୍ତେ ଆଶା ନଥିଲେ ସୁଦ୍ଧା ଆଶା ରଖି ସେ ବିଶ୍ଵାସ କଲେ।” (ରୋମୀ ୪:୧୮)
ବିଶ୍ଵାସ କରିବାର କାରଣ ନଥିଲେ ସୁଦ୍ଧା ଈଶ୍ଵରଙ୍କ ପ୍ରତିଜ୍ଞାକୁ ଅବ୍ରାହାମ ବିଶ୍ଵାସ କଲେ। ପରିସ୍ଥିତି ନିରାଶାଜନକ ଥୁଲା, ତଥାପି ସେ ବିଶ୍ବାସ କଲେ। କାହିଁକି? କାରଣ ଈଶ୍ଵର କହିଥିଲେ, “ଯାହା କୁହାଯାଇଥିଲା” ସେଥିରେ ଆଶା ରଖି ସେ ବିଶ୍ଵାସ କଲେ। ଈଶ୍ଵରଙ୍କ ପ୍ରତିଜ୍ଞା ତାଙ୍କ ଆଶାର ଆଧାର ଥିଲା। ଈଶ୍ଵର କହିଥିଲେ, ଏଣୁ ପରିସ୍ଥିତି ନିରାଶାଜନକ ହେଲେ ମଧ୍ୟ ଅବ୍ରାହାମ ଆଶାର ବାହାରେ ବିଶ୍ଵାସ କରିଥିଲେ।
ଆମ ଭରସାର ଆଧାର ଈଶ୍ଵର ଓ ତାହାଙ୍କ ବାକ୍ୟ
“କାରଣ ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଭରସା ରଖେ; ହେ ପ୍ରଭୋ, ମୋର ପରମେଶ୍ଵର, ତୁମ୍ଭେ ଉତ୍ତର ଦେବ।” (ଗୀତ ୩୮:୧୫)
“ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋ ପ୍ରାଣ ଅପେକ୍ଷା କରୁଅଛି, ପୁଣି ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି।” (ଗୀତ ୧୩୦:୫)
“ପୁଣି ଆମ୍ଭେମାନେ ଯେପରି ଶାସ୍ତ୍ରଲବ୍ଧ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ଵାରା ଭରସା ପ୍ରାପ୍ତ ହେଉ, ଏଥି ନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା, ସେହିସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି।” (ରୋମୀ ୧୫:୪)
ଈଶ୍ବର ଆମ ଭରସାର କାରଣ, ଉତ୍ସ ଓ ବଳ ଅଟନ୍ତି। ତାହାଙ୍କ ବାକ୍ୟ ଆମ ଭରସାର ଆଧାର। ବିଧିଶାସ୍ତ୍ର ଆମ ହୃଦୟ ମଧ୍ଯରେ ଯେଉଁ ଧୈର୍ଯ୍ୟ ଓ ସାନ୍ତ୍ୱନା ଜନ୍ମାଇଥାଏ ତଦ୍ୱାରା ଆମେ ଭରସା କରିଥାଉ।
ଭବିଷ୍ୟତକୁ ନେଇ ଭରସା
ଆମେ ଏ ଯାଏଁ ଯାହା ଯାହା ଆଲୋଚନା କରିଛୁ ତାହାର ବ୍ୟାବହାରିକ ଦିଗକୁ ଆମେ ଦେଖିବା। ଏହା ପାଠ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ନିଶ୍ଚେ ସନ୍ଦେହ ପ୍ରକାଶ କରି କହିବେ, “ମୋର ଭବିଷ୍ୟତ ନିରାଶାଜନକ” ବା “ମୁଁ ବେଶୀ ଦୂର ଆଗେଇ ଯାଇପାରିବି ନାହିଁ। ମୋ ଜୀବନରେ ସେମିତି କିଛି ଉଲ୍ଲେଖନୀୟ ବିଷୟ ଘଟିବ ନାହିଁ”। ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହେଁ ଯେ, ଈଶ୍ଵର ଓ ତାହାଙ୍କ ବାକ୍ୟ ହେତୁ ଆମେ ଆମ ଭବିଷ୍ୟତକୁ ନେଇ ଭରସାଯୁକ୍ତ ହୋଇପାରିବା। ତାହାଙ୍କ ବାକ୍ୟ କହେ;
“ଚକ୍ଷୁ ଯାହା ଦେଖୁ ନାହିଁ, କର୍ଷ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ସେ ସମସ୍ତ ବିଷୟ ଈଶ୍ବର ଆପଣା ପ୍ରେମକାରୀ ଲୋକମାନଙ୍କର ନିମନ୍ତେ ପ୍ରସ୍ତୁତ କରିଅଛନ୍ତି।” (୧ କରିନ୍ଥୀ ୨:୯)
ଭବିଷ୍ୟତ ନିମନ୍ତେ ଆମର ଆଶା ରହିଛି। ଆମେ ଆଶାବାଦୀ ଯେ ଆମେ ଭବିଷ୍ୟତରେ ଅନେକ ଆଶ୍ଚର୍ଯ୍ୟ ବିଷୟମାନ ଦେଖିବା କାରଣ ଈଶ୍ଵରଙ୍କ ବାକ୍ୟ କହେ ଯେ ଈଶ୍ଵର ତାଙ୍କ ପ୍ରେମକାରୀ ଲୋକମାନଙ୍କ ପାଇଁ ଏପରି ବିଷୟମାନ ରଖୁଛନ୍ତି।
“କାରଣ ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପକ୍ଷରେ ଆମେ ଯେ ସକଳ ସଂକଳ୍ପ କରିଅଛୁ, ତାହା ଆମ୍ଭେ ଜାଣୁ, ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା। ଦେବା ନିମନ୍ତେ ସେସବୁ ଅମଙ୍ଗଳକର ନୁହେଁ, ମଙ୍ଗଳର ସଂକଳ୍ପ ଅଟେ।” (ଯିରି ୨୯:୧୧)
ଈଶ୍ବରଙ୍କ ବାକ୍ୟ ହିଁ ଆମ ଭରସାର କାରଣ। ଏଣୁ ଆମେ ଏକ ସୁନ୍ଦର ଭବିଷ୍ୟତକୁ ନେଇ ଆଶାବାଦୀ ହେବା। ଆମର ବର୍ତ୍ତମାନର ପରିସ୍ଥିତି ଆମ ଶେଷ ଲକ୍ଷ୍ୟସ୍ଥଳକୁ ସୂଚାଏ ନାହିଁ। ଆମେ ଆଶାବାଦୀ ଯେ ଆମର ଭବିଷ୍ୟତ ସୁଦୃଢ଼, ସଫଳ ଓ ସୁରକ୍ଷିତ, କାରଣ ଈଶ୍ଵର ତାହାଙ୍କ ବାକ୍ୟରେ ଏପରି ପ୍ରତିଜ୍ଞା କରିଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ନେଇ ଆମେ ହତାଶ ନ ହେଉ।
କୃତକାର୍ଯ୍ୟ ହେବାର ଭରସା
ଆପଣମାନଙ୍କ ମଧ୍ୟରୁ ଅନେକ ନକାରାତ୍ମକ ଚିନ୍ତାଧାରା ରଖୁ ଭୟ କରୁଥିବେ ଯେ ଆପଣ ଜୀବନରେ କେବେ ସଫଳତା ପାଇପାରିବେ ନାହିଁ। ଆପଣ ସବୁମତେ ଚେଷ୍ଟା କରି ବିଫଳ ହୋଇଛନ୍ତି ଓ ଏ ଯାଏଁ କୌଣସି ବିଷୟରେ ସଫଳ ହୋଇପାରି ନାହାନ୍ତି। ଈଶ୍ଵରଙ୍କ ବାକ୍ୟ କ’ଣ କହେ ଓ ତାହା ଆପଣ ବିଶ୍ଵାସ କରିବା ଉଚିତ।
“ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏନାହିଁ, କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ଵସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃସ ସେ ହେବ, ପୁଣି ସେ ଯାହା କରେ, ତାହା ସଫଳ ହେବ।” (ଗୀତ ୧:୧-୩)
ନିଜକୁ ଏକ ଫଳଭରା ବୃକ୍ଷ ସଙ୍ଗେ ତୁଳନା କରନ୍ତୁ। ଯାହା କରନ୍ତି ସବୁଥିରେ ଆପଣ ସଫଳ ହେଉଛନ୍ତି ବୋଲି ଭାବନ୍ତୁ। ଆପଣଙ୍କ ଜୀବନ ନିମନ୍ତେ ଏହା ହିଁ ଈଶ୍ଵରଙ୍କ ବାକ୍ୟ। ଏଣୁ ଈଶ୍ଵର ଆପଣଙ୍କ ପାଇଁ ଯାହା କରିପାରନ୍ତି ତାହା ଆପଣଙ୍କ ଠାରୁ ହାତଛଡ଼ା କରିବାକୁ କୌଣସି ପରିସ୍ଥିତିକୁ ନ ଦିଅନ୍ତୁ।
ଆପଣଙ୍କ ସ୍ବପ୍ନ ସବୁ ସାର୍ଥକ ହେବାର ଭରସା
ଆପଣଙ୍କ ସ୍ଵପ୍ନ ସବୁ ସାର୍ଥକ ହେବ ନାହିଁ ବୋଲି ଆପଣ ସମସ୍ତ ଆଶା ଛାଡ଼ି ଦେଇଛନ୍ତି କି? ଈଶ୍ଵରଙ୍କ ବାକ୍ୟ କହେ,
“ସଦା ପ୍ରଭୁଙ୍କ ଠାରେ ଆନନ୍ଦ କର; ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ।” (ଗୀତ ୩୭:୪)
ମୁଁ ବିଭିନ୍ନ ପରିସ୍ଥିତି ମଧ୍ୟ ଦେଇ ଯାଇଛି। ମୋର ସ୍ଵପ୍ନ ସବୁ କେବେ ସାକାର ହେବ ନାହିଁ ବୋଲି ମୁଁ ମନେ କରୁଥୁଲି। ମୋର ମନେ ପଡ଼େ ମୁଁ ବୟସରେ ବଢ଼ୁ ବଢ଼ୁ ମୋର ସ୍ଵପ୍ନ ଥିଲା, ବାଙ୍ଗାଲୋର ନଗରରେ ଏକ ସୁଦୃଢ଼ ମଣ୍ଡଳୀ ସ୍ଥାପନ କରିବାକୁ ଯାହା ପୃଥିବୀର ବିଭିନ୍ନ ଜାତିକୁ ପ୍ରଭାବିତ କରିବ। ଯାହାସବୁ ଘଟି ଯାଉଥିଲା ସେସବୁ ପରିସ୍ଥିତି ମଧ୍ୟରେ ମୋର ସ୍ଵପ୍ନ ସତ ହେବ ନାହିଁ ବୋଲି ମୁଁ ପ୍ରାୟ ଧରିନେଇଥୁଲି। ଏହା ଏକ ସ୍ଵପ୍ନରେ ହିଁ ରହିଯିବ ବୋଲି ମୋର ମନେ ହେଉଥିଲା। ଏଥନିମନ୍ତେ ମୁଁ କିଛି କରିପାରିବିନି ବୋଲି ଭାବୁଥୁଲି। ତଥାପି ମୋର ଆଶାକୁ ମୁଁ ଉଜ୍ଜୀବିତ ରଖୁଥଲି, କାରଣ ଈଶ୍ବରଙ୍କ ବାକ୍ୟ କହେ ଯେ ସେ ମୋତେ “ଏକ ଭବିଷ୍ୟତ ଓ ଏକ ଭରସା” ଦେବେ, ଏବଂ ସେ ଏପରି ବିଷୟମାନ ରଖୁଛନ୍ତି ଯାହାକୁ “ଚକ୍ଷୁ କେବେ ଦେଖୁନାହିଁ, କର୍ଷ କେବେ ଶୁଣିନାହିଁ”। ତାହାଙ୍କ ବାକ୍ୟ ମଧ୍ଯ କହେ ଯେ ମୁଁ ଯଦି ତାହାଙ୍କଠାରେ ଆନନ୍ଦ କରେ ସେ ମୋର ମନୋବାଞ୍ଛା ପୂରଣ କରିବେ। ମୋର ପରିସ୍ଥିତି ସବୁ ଦିନକୁ ଦିନ ଖରାପ ଦିଗକୁ ଗତି କରୁଥିଲେ ମଧ୍ୟ ତାହାଙ୍କ ବାକ୍ୟ ଅପରିବର୍ତ୍ତିତ ରହିଥିଲା। ମୁଁ ତାହାଙ୍କ ବାକ୍ୟରେ ବିଶ୍ଵାସ ରଖିଲି। ତାହାଙ୍କ ବାକ୍ୟ ହିଁ ମୋର ଭରସାର କାରଣ ହୋଇଥିଲା। ବର୍ତ୍ତମାନ ମୋର ସ୍ଵପ୍ନ ସାକାର ହୋଇପାରିଛି। ହାଲ୍ଲେଲୁୟା!
ଆପଣଙ୍କ ପିଲାମାନଙ୍କ ପାଇଁ ଭରସା
ଆପଣମାନଙ୍କ ମଧ୍ୟରୁ ଅନେକ ଆପଣା ପିଲାମାନଙ୍କ ଯୋଗୁଁ ନିରାଶ ହୋଇ ପଡ଼ୁଥିବେ। ଆପଣ ସେମାନଙ୍କୁ ଉତ୍ତମ ରୂପେ ତାଲିମ୍ ଦେଇଛନ୍ତି ଓ ଈଶ୍ଵରଙ୍କ ବାକ୍ୟ ଶିକ୍ଷା ଦେଇଛନ୍ତି। କିନ୍ତୁ ସେମାନଙ୍କ ବର୍ତ୍ତମାନ ଜୀବନ ଭିନ୍ନ ମୋଡ଼ ନେଇଛି ଯାହା ଆପଣ କେବେ କଳ୍ପନା କରିନଥିଲେ। ହୁଏତ ସେମାନେ ପାଠପଢ଼ା ଛାଡ଼ି ଦେଇଛନ୍ତି, ମଦ୍ୟପାନ ଓ ଡ୍ରଗ୍ ସେବନ କରୁଛନ୍ତି। ଆପଣଙ୍କ ସମସ୍ତ ତାଲିମ୍ ମୂଲ୍ୟହୀନ ମନେ। ଏ ବିଷୟରେ ଈଶ୍ବରଙ୍କ ବାକ୍ୟ କ’ଣ କହେ ଆସନ୍ତୁ ଦେଖିବା।
“ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ଯେଉଁ ଜନ ସଦାପ୍ରଭୁଙ୍କୁ ଭୟ କରେ, ଯେ ତାହାଙ୍କ ଆଜ୍ଞା ସବୁରେ ଅତିଶୟ ସନ୍ତୁଷ୍ଟ ହୁଏ, ସେ ଧନ୍ୟ। ତାହାର ବଂଶ ପୃଥିବୀରେ ବିକ୍ରମଶାଳୀ ହେବେ; ସରଳ ଲୋକର ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।” (ଗୀତ ୧୧୨:୧, ୨)
ଆପଣ ପ୍ରଭୁଙ୍କୁ କହିପାରନ୍ତି, “ମୁଁ ତୁମ ବାକ୍ୟରେ ଭରସା କରେ। ତୁମ ବାକ୍ୟ କହେ ଯେ ମୋ ପିଲାମାନେ ପୃଥିବୀରେ ବିକ୍ରମଶାଳୀ ହେବେ।” ଏହାର ଅର୍ଥ ଆପଣଙ୍କ ପିଲାମାନେ ପୃଥିବୀରେ କୃତକାର୍ଯ୍ୟ ହୋଇପାରିବେ। ସେମାନେ ଈଶ୍ଵରଙ୍କ ରାଜ୍ୟ ପାଇଁ କିଛି ମହତ୍ କର୍ମ କରିବେ। ସେମାନେ ପୃଥିବୀରେ ରହି ଅସଫଳ ହେବେ ନାହିଁ। ବରଂ ଈଶ୍ଵରଙ୍କ ନିମନ୍ତେ ସେମାନେ କିଛି ପ୍ରଭାବଯୁକ୍ତ କାର୍ଯ୍ୟ କରିବେ।
“ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ବାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ।” (ଯିଶା ୫୪:୧୩)
ଏହି ଶାସ୍ତ୍ରାଂଶ ଆପଣଙ୍କ ଭରସାର ଆଧାର ହେଉ। ଭରସାଯୁକ୍ତ ହୋଇ ଅଗ୍ରସର ହୁଅନ୍ତୁ। ହୁଏତ ଆପଣଙ୍କ ସନ୍ତାନ ଆପଣଙ୍କର ଅବାଧ୍ୟ ହେଉଛି। ତଥାପି ଆପଣ ଆଶା ଛାଡ଼ନ୍ତୁ ନାହିଁ, ବରଂ ଈଶ୍ଵରଙ୍କ ବାକ୍ୟକୁ ନେଇ ଆଶାବାଦୀ ହୋଇ ରୁହନ୍ତୁ।
ସୁସ୍ଥତାଲାଭ ପାଇଁ ଭରସା
ଆପଣ ଅସୁସ୍ଥ ଓ ରୋଗଗ୍ରସ୍ତ ଏବଂ ଡାକ୍ତରମାନେ ଆପଣଙ୍କ ଉପରୁ ଆଶା ଛାଡ଼ି ଦେଇଛନ୍ତି। ଈଶ୍ଵରଙ୍କ ବାକ୍ୟ କ’ଣ କହେ ଶୁଣନ୍ତୁ:
“ସେ ତୁମ୍ଭର ଅଧର୍ମ ସବୁ କ୍ଷମା କରନ୍ତି; ସେ ତୁମ୍ଭର ରୋଗ ସବୁ ସୁସ୍ଥ କରନ୍ତି।” (ଗୀତ ୧୦୩:୩)
ଏହି ଭରସା ଆପଣଙ୍କର ରହିଛି। ଆପଣଙ୍କ ଭରସାକୁ ଉଜ୍ଜୀବିତ ରଖନ୍ତୁ। ନିଜକୁ ସୁସ୍ଥ ମନେ କରନ୍ତୁ। ବାଇବଲ୍ର ଏହି ଶାଭାଂଶ ଅନୁସାରେ ଆପଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି ମନେ କରନ୍ତୁ।
“ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ୍ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ। ତାହା ତୁମ୍ଭ ନାଭିଦେଶର ସ୍ଵାସ୍ଥ୍ୟ ଓ ଅସ୍ଥିର ମଜା ହେବ।” (ହିତୋ ୩:୭, ୮)
ଆପଣଙ୍କର ଯେଉଁ ଈଶ୍ବର ଭୟ ରହିଛି ତାହା ହିଁ ଆପଣଙ୍କୁ ସୁସ୍ଥତା ପ୍ରଦାନ କରେ। ଇଶ୍ଵର ଓ ତାହାଙ୍କ ବାକ୍ୟ ଯୋଗୁଁ ଆମେ ନିରାଶାଜନକ ପରିସ୍ଥିତିରେ ବି ଆଶାବାଦୀ ହୋଇ ରହିପାରିବା।
୬ ନିରାଶାଜନକ ପରିସ୍ଥିତିରେ ମୁଁ କ’ଣ କରେ?
“ଯେଉଁ ଈଶ୍ଵରଙ୍କୁ ସେ ବିଶ୍ବାସ କଲେ, ଯେ ମୃତମାନଙ୍କୁ ସଜୀବ କରନ୍ତି ଓ ନଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ଵରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖାଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ। ‘ଏହିପରି ତୁମ୍ଭର ବଂଶ ହେବ’, ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥିନିମନ୍ତେ ଆଶା ନଥିଲେ ସୁଦ୍ଧା ଆଶା ରଖ ସେ ବିଶ୍ବାସ କଲେ। ତାହାଙ୍କ ବୟସ ପ୍ରାୟ ଏକ ଶତ ବର୍ଷ ହେବାରୁ ସେ ଆପଣା ଶରୀରକୁ ମୃତବତ୍ ଓ ସାରାଙ୍କ ଗର୍ଭକୁ ମୃତ ବୋଲି ବିବେଚନା କଲେ ସୁଦ୍ଧା ବିଶ୍ବାସରେ ଦୁର୍ବଳ ହେଲେ ନାହିଁ, ବରଂ ଈଶ୍ଵରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ଵାସ ହେତୁ ସନ୍ଦେହ କଲେ ନାହିଁ, କିନ୍ତୁ ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ ରୂପେ ଜାଣି ତାହାଙ୍କୁ ଗୌରବ ଦେଇ ବିଶ୍ବାସରେ ବଳବାନ ହେଲେ।” (ରୋମୀ ୪:୧୭-୨୧)
ଏକ ନିରାଶାଜନକ ପରିସ୍ଥିତିକୁ ବଦଳାଇ ଦେବା ପାଇଁ ଈଶ୍ଵରଙ୍କୁ ସୁଯୋଗ ଦେବାକୁ ଯାଇ ଆମେ କ’ଣ କରୁ? ଅବ୍ରାହାମ୍ଙ୍କ ଜୀବନରୁ ଆମେ କ’ଣ ଶିକ୍ଷାଲାଭ କରିପାରୁ? ସେ କ’ଣ କରିବାରୁ ଈଶ୍ଵର ଏକ ନିରାଶାଜନକ ପରିସ୍ଥିତିକୁ ବଦଳାଇ ଦେଇଥିଲେ?
ବାଇବଲ୍ କହେ ଯେ କୌଣସି ଆଶା ନଥିଲେ ମଧ୍ୟ ଈଶ୍ଵର ତାଙ୍କ ବିଷୟରେ ଯାହା ପ୍ରତିଜ୍ଞା କରିଥିଲେ, ତା’ର ଅଧ୍ବକାରୀ ଓ ସେ ହୋଇପାରିବେ ବୋଲି ଅବ୍ରହାମ ବିଶ୍ବାସ କରିଥିଲେ (ରୋମୀ ୪:୧୮)।
ଈଶ୍ଵର ଯାହା କହିଛନ୍ତି ତାହା ଘଟିବ ବୋଲି କ’ଣ ଆପଣ ବିଶ୍ବାସ କରିବେ? ଉଦାହରଣ ସ୍ଵରୂପ, ଈଶ୍ଵରଙ୍କ ବାକ୍ୟ କହେ, “ତୁମେ ଯାହା କରିବ ସେଥିରୁ ସଫଳ ହେବ”। ଏହା ଆପଣ ବିଶ୍ଵାସ କରିବାକୁ ହେବ। ଆପଣ ବିଶ୍ବାସ କରିବେ କି?
ଈଶ୍ବର ଯାହା କହିଅଛନ୍ତି ତାହା ପାଇବେ ବୋଲି ଆଶା ରଖୁ ବିଶ୍ବାସ କରନ୍ତୁ
ଈଶ୍ଵର ଓ ତାହାଙ୍କ ବାକ୍ୟ ଏକ। ତାହାଙ୍କ ବାକ୍ୟରେ ବିଶ୍ବାସ କରିବା ଯାହା ଈଶ୍ଵରଙ୍କୁ ବିଶ୍ବାସ କରିବା ତାହା। ଏଣୁ ସମସ୍ତ ଆଶାର ବାହାରେ ଆପଣ ବିଶ୍ବାସ କରିବାକୁ ହେବ। ଏଣୁ ଆଶାଶୂନ୍ୟ ମନେ ହେଉଥିଲେ ବି ଆପଣ ଯାହା ପାଇବେ ବୋଲି ଈଶ୍ଵର ପ୍ରତିଜ୍ଞା କରିଅଛନ୍ତି ତାହା ପାଇବେ ବୋଲି ଆପଣ ବିଶ୍ବାସ କରିବାକୁ ହେବ। ଏଣୁ ଆଶା ପରିତ୍ୟାଗ କରନ୍ତୁ ନାହିଁ ।
ନିରାଶାଜନକ ପରିସ୍ଥିତି ଆପଣଙ୍କ ବିଶ୍ୱାସକୁ ନିଷ୍କ୍ରିୟ କରି ନଦେଉ
“ତାଙ୍କ ବୟସ ପ୍ରାୟ ଏକ ଶତ ବର୍ଷ ହେବାରୁ ସେ ଆପଣା ଶରୀରକୁ ମୃତବତ୍ ଓ ସାରାଙ୍କ ଗର୍ଭକୁ ମୃତ ବୋଲି ବିବେଚନା କଲେ ସୁଦ୍ଧା ବିଶ୍ବାସରେ ଦୁର୍ବଳ ହେଲେ ନାହିଁ।” (ରୋମୀ ୪:୧୯)
ନିଜର ଶାରିରୀକ ଅବସ୍ଥା ଓ ଅନ୍ୟାନ୍ୟ ପରିସ୍ଥିତିକୁ ବିବେଚନା କରି ମଧ୍ୟ ସେ ବିଶ୍ଵାସରେ ଦୁର୍ବଳ ହେଲେ ନାହିଁ। କୌଣସି ପରିସ୍ଥିତିର ଆଶାଶୂନ୍ୟତା ଆପଣଙ୍କ ବିଶ୍ଵାସକୁ ଦୁର୍ବଳ ନକରୁ। ଏଣେ ତେଣେ ଅନାଇ କୁହନ୍ତୁ ନାହିଁ, “ଏହାର କୌଣସି ପ୍ରତିକାର ନାହିଁ”।
ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ଆମେ ପରିସ୍ଥିତିକୁ ଅସ୍ଵୀକାର କରିବା। ପରିସ୍ଥିତିର ବାସ୍ତବତା ଆପଣଙ୍କ ବିଶ୍ଵାସକୁ ଦୁର୍ବଳ କରିନପକାଉ। ତା’ ପରିବର୍ତ୍ତେ ଆପଣଙ୍କ ପ୍ରତିଜ୍ଞାତ ବିଷୟର ଫଳାଫଳକୁ ନେଇ ଏକ ଚିତ୍ର ଆପଣଙ୍କ ମାନସ ପଟ୍ଟରେ ଅଙ୍କନ କରନ୍ତୁ। ଉଦାହରଣ ସ୍ଵରୂପ, ଆପଣ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ମନେ କରନ୍ତୁ, ଆପଣ ଜୀବନରେ ସଫଳତା ପାଇଛନ୍ତି ବୋଲି ମନେ କରନ୍ତୁ, ଆପଣଙ୍କ ବୈବାହିକ ଜୀବନର ସମସ୍ୟା ଆଉ ନାହିଁ ବୋଲି ମନେ କରନ୍ତୁ, ଆପଣଙ୍କ ପିଲାମାନେ ଈଶ୍ଵରଙ୍କର ସେବା କରୁଛନ୍ତି ଓ ତାହାଙ୍କ ପଥରେ ଚାଲୁଛନ୍ତି ବୋଲି ମନେ କରନ୍ତୁ।
ଈଶ୍ଵରଙ୍କ ବାକ୍ୟକୁ ଭିତ୍ତି କରି ମନ ମଧ୍ୟରେ ଏପରି ଚିତ୍ରମାନ ଅଙ୍କନ କରନ୍ତୁ ଓ ଏହି ଚିତ୍ରକୁ ବାରମ୍ବାର ନିରୀକ୍ଷଣ କରନ୍ତୁ।
“ଦିନେ ରାତ୍ରିରେ ଈଶ୍ଵର ଅବ୍ରହାମଙ୍କୁ ତାଙ୍କ ତମ୍ବୁ ବାହାରକୁ ଡାକି ଆଣି ଆକାଶର ତାରାମାନଙ୍କୁ ଦେଖାଇଲେ ଓ କହିଲେ, ‘ଏହି ପ୍ରକାର ତୁମ୍ଵର ବଂଶ ହେବ।’” (ଆଦି ୧୫:୫)
ଏଣୁ ଅବ୍ରହାମ ତାଙ୍କ ମନରେ ଈଶ୍ଵରଙ୍କର ପ୍ରତିଜ୍ଞାର ଏକ ଛବି ଅଙ୍କନ କଲେ। ତାରାଗଣ ପରି ତାଙ୍କ ବଂଶଧରମାନେ ବହୁସଂଖ୍ୟକ ହେବେ ବୋଲି ସେ ଦେଖିପାରିଲେ। ଅବ୍ରହାମ ଯେତେବେଳେ ନିଜ ଶରୀରର ଅବସ୍ଥା ଓ ସାରାଙ୍କ ଗର୍ଭର ମୃତାବସ୍ଥାକୁ ଦେଖୁଥିଲେ ସେ ଈଶ୍ଵରଙ୍କ ପ୍ରତିଜ୍ଞାକୁ ସ୍ମରଣ କରୁଥିଲେ। ତାହାଙ୍କ ବଂଶଧରମାନେ ଆକାଶର ତାରା ଓ ସମୁଦ୍ରର ବାଲିପରି ସଂଖ୍ୟାତୀତ ରୂପେ ବୃଦ୍ଧି ପାଇବେ ବୋଲି ଈଶ୍ଵରଙ୍କର ପ୍ରତିଜ୍ଞା ଥିଲା। ପ୍ରେରିତ ପାଉଲ୍ କହନ୍ତି:
“ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ଆମ୍ଭେମାନେ ତୁମ୍ଭମାନଙ୍କ ବିଶ୍ଵାସର କର୍ମ, ପ୍ରେମର ପରିଶ୍ରମ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମ୍ଭମାନଙ୍କ ଭରସାର ଧୈର୍ଯ୍ୟ ବିଷୟ ନିରନ୍ତର ସ୍ମରଣ କରୁଛୁ” (୧ ଥେସ୍ ୧:୩)
ଭରସା ଧୈର୍ଯ୍ୟପୂର୍ଣ୍ଣ! ଈଶ୍ଵରଙ୍କ ବାକ୍ୟ ଉପରେ ଆଧାରିତ ପ୍ରକୃତ ଭରସା ଧୈର୍ଯ୍ୟଶୀଳ।
“ସଦାପ୍ରଭୁଙ୍କ ପରିତ୍ରାଣର ପ୍ରତ୍ୟାଶା କରି ସୁସ୍ଥିର ଭାବରେ ଅପେକ୍ଷା କରିବାର ମନୁଷ୍ୟର ମଙ୍ଗଳ” (ବିଳାପ ୩:୨୬)
ଆପଣଙ୍କର ଯଦି ପ୍ରକୃତ ଭରସା ରହିଛି, ତେବେ ଆପଣଙ୍କଠାରେ ସୁସ୍ଥିରତା, ଧୀରତା ଓ ଶାନ୍ତ ସ୍ଵଭାବ ପରିଦୃଷ୍ଟ ହେବ। ଆପଣ କ’ଣ ହାସଲ କରିବାକୁ ଯାଉଛନ୍ତି, ତାହା ଆପଣ ଜାଣନ୍ତି। ଆପଣ ଯାହା ଚାହାନ୍ତି, ତାହା ପାଇବା ପାଇଁ ଅଶାନ୍ତ, ବିରକ୍ତ, ଉତ୍ତେଜିତ ହେବେ ନାହିଁ ଓ ପ୍ରତ୍ୟେକଙ୍କୁ ଆପଣଙ୍କ ରାସ୍ତାରୁ ହଟାଇବାକୁ ଚାହିଁବେ ନାହିଁ। ବରଂ ଆପଣଙ୍କର ଇପ୍ସିତ ବିଷୟ ପାଇବେ ବୋଲି ଆପଣ ଧୀରସ୍ଥିର ରହିବେ। ଆପଣ ସଂକଳ୍ପବଦ୍ଧ ଓ ଧୈର୍ଯ୍ୟ ସହକାରେ ଅପେକ୍ଷାରତ ରହନ୍ତୁ। ଈଶ୍ୱରଙ୍କ ବାକ୍ୟକୁ ସୁସ୍ଥିରତାର ସହିତ ପାଳନ କରିବା ହିଁ ସଂକଳ୍ପବଦ୍ଧତାର ପରିଚୟ। ସହଜ ରାସ୍ତା ବାଛନ୍ତୁ ନାହିଁ। ଏହା ପରିସ୍ଥିତିକୁ କେବଳ ଗୋଳମାଳିଆ କରିଦେବ।
ଆନନ୍ଦିତ ରୁହନ୍ତୁ, ଈଶ୍ଵରଙ୍କ ପ୍ରଶଂସା କରନ୍ତୁ
ଅବ୍ରହାମ ଈଶ୍ଵରଙ୍କୁ ଗୌରବ ଦେଇଥିଲେ (ରୋମୀ ୪:୨୦)। ଆପଣଙ୍କର ଯଦି ଭରସା ରହିଛି, ତେବେ ଆପଣ ଆନନ୍ଦିତ ରହିବେ। କାରଣ ଈଶ୍ଵରଙ୍କ ବାକ୍ୟ ଯାହା କହେ, ତାହା ଉପରେ ଆପଣ ଭରସା ରଖନ୍ତି। ଏଣୁ ଆପଣ ଆନନ୍ଦିତ ହୋଇପାରନ୍ତି।
ଅନେକ ସମୟରେ ଆପଣ ପରିସ୍ଥିତିକୁ ନେଇ ଆନନ୍ଦିତ ହୋଇଥାନ୍ତି। କିନ୍ତୁ ଆପଣ ଭରସାକୁ ନେଇ ମଧ୍ୟ ଆନନ୍ଦ କରିଥାନ୍ତି। ଛୋଟ ପିଲାମାନେ ସେମାନଙ୍କ ଜନ୍ମଦିନ ପାଖେଇ ଆସିଲେ ଆନନ୍ଦରେ ଉତ୍ତେଜିତ ହୋଇପଡ଼ନ୍ତି! ମୋ ଝିଅ ରୁଥ୍ ଥରେ ତା’ର ଜନ୍ମଦିନର ଏକ ସପ୍ତାହ ଆଗରୁ ଏହି ଦିନକୁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲା। କହିବାକୁ ଗଲେ, ସେ “ଭରସାରେ ଆନନ୍ଦ” କରୁଥିଲା। ସେ ଏତେ ଆତ୍ମହରା ହୋଇପଡ଼ିଥିଲା ଯେ, ତା’ର ଜନ୍ମଦିନର ପୂର୍ବ ରାତ୍ରିରେ ସେ ମୋତେ କହିଲା, “ବାପା, କାଲି ସକାଳେ ମୁଁ ଉଠିବା କ୍ଷଣି ତୁମେ ମୋତେ କହିବ – ସୁପ୍ରଭାତ ଜନ୍ମଦିନର ଝିଅ”। କାଲି ଜନ୍ମଦିନ ପାଳନ କରିବ ବୋଲି ଆଜିଠାରୁ ସେ ଆନନ୍ଦିତ ଅଟେ। ତା’ର ଜନ୍ମଦିନ ଆସି ନ ଥିଲେ ବି, ଏ ବିଷୟରେ ସେ ଆଶାପୂର୍ଣ୍ଣ ଥିବାରୁ ସେ ଖୁସି ଥିଲା। ଖ୍ରୀଷ୍ଟିୟାନ୍ ଭାବରେ ଆମେ ଭରସାରେ ଆନନ୍ଦ କରୁ। ଆମେ ଆନନ୍ଦ କରିଥାଉ ଯେ ଈଶ୍ବର ସମସ୍ତ ବିଷୟକୁ ପରିବର୍ତ୍ତନ କରିବେ ଓ ଆମର ପରିସ୍ଥିତି ସମୂହ ବଦଳିଯିବ। ଆମେ ଭରସାରେ ଆନନ୍ଦ କରୁ।
“ସେହି ଭରସାର ଈଶ୍ବର ତୁମ୍ଭମାନଙ୍କୁ ବିଶ୍ବାସ ଦ୍ଵାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର” (ରୋମୀ ୧୫ : ୧୩)
“ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ; ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ” (ରୋମୀ ୧୨:୧୨)
ଆମ୍ଭେମାନେ ଭରସାର ପ୍ରଚୁରତା ଅନୁଭବ କରିପାରୁ ଏବଂ ଭରସାର ଈଶ୍ବର ଆମକୁ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରିପାରନ୍ତି। ଆମ୍ଭେମାନେ ବିଶ୍ଵାସ କଲେ ହିଁ ଆମ୍ଭମାନଙ୍କ ଜୀବନରେ ସେହି ଆନନ୍ଦ ଓ ଶାନ୍ତି ଆସିଥାଏ। ବହୁତ ସମୟ ଅପେକ୍ଷା କଲେ ଲୋକେ ଅଭିଯୋଗ କରନ୍ତି ଓ ଅସନ୍ତୋଷ ପ୍ରକାଶ କରନ୍ତି। ସେମାନଙ୍କ ମଧ୍ଯରେ ଭରସାର ଏକ ଛବି ଅଙ୍କିତ ହୋଇଥିବା ଦରକାର। ଫଳରେ ସେମାନେ ପରିସ୍ଥିତିକୁ ନେଇ ଉତ୍ତେଜିତ ନ ହୋଇ ବରଂ ଆଶା ଭରସାର ସେହି ଛବିକୁ ଦେଖ୍ ସେମାନେ ସ୍ଥିର ହୋଇ ରହିବେ। ସେହି ଛବି ଦିନେ ଯେ ବାସ୍ତବ ରୂପ ନେବ ଏହା ଜାଣିଲେ ଆପଣଙ୍କ ଠାରେ ସେହି ଆନନ୍ଦ ଓ ଶାନ୍ତି ବିରାଜିତ ହେବ।
“ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ? ତୁ କାହିଁକି ମୋର ଅନ୍ତରେ ଅସ୍ଥିର ହେଉଅଛୁ? ପରମେଶ୍ଵରଙ୍କଠାରେ ଭରସା ରଖ; କାରଣ ମୁଁ ତାହାଙ୍କ ଶ୍ରୀମୁଖର ପ୍ରସନ୍ନତା ସକାଶୁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି” (ଗୀତ ୪୨:୫)
“ମାତ୍ର ମୁଁ ନିରନ୍ତର ଭରସା କରିବି, ପୁଣି ଆହୁରି ଆହୁରି ତୁମ୍ଭର ପ୍ରଶଂସା କରିବି” (ଗୀତ ୭୧:୧୪)
ଭରସା ରହିଲେ ଆନନ୍ଦଭାବ ଓ ଈଶ୍ବରଙ୍କୁ ପ୍ରଶଂସା କରିବାର ପ୍ରବୃତ୍ତି ରହିବ। ଏହି ଲେଖାକୁ ପାଠ କଲାବେଳେ ଆପଣ ହୁଏତ ଏକ ନିରାଶାଜନକ ପରିସ୍ଥିତି ମଧ୍ୟଦେଇ ଗତି କରୁଛନ୍ତି, ଏଣୁ ଆପଣ ପ୍ରଶ୍ନ କରିପାରନ୍ତି, “ମୁଁ କିପରି ଖୁସୀ ହୋଇ ପାରିବି”? ବାଇବଲ୍ କହେ, “ଭରସାରେ ଆନନ୍ଦ କର!” ଆମ୍ଭେ କିପରି ଈଶ୍ବରଙ୍କ ପ୍ରଶଂସା କରିପାରିବା? ଆମେ ଯେଉଁ ଭରସା ରଖୁଛୁ ସେଥିପାଇଁ ଆମେ ପ୍ରଭୁଙ୍କର ପ୍ରଶଂସା କରିପାରିବା। ଆଜି ସବୁ କିଛି ବିଗିଡ଼ି ଯାଇଛି ମନେ ହୁଏ। ଆଜିର ପରିସ୍ଥିତି ସବୁ ଅତି କଠିନ ହୋଇପାରେ। ତଥାପି ଆପଣ ତାହାଙ୍କର ପ୍ରଶଂସା କରି ପାରନ୍ତି କାରଣ ଆପଣ ଜାଣନ୍ତି ଯେ ଏସବୁ ବିଷୟ ଚିରକାଳ ସ୍ଥାୟୀ ନୁହେଁ। ବାଇବେଲର ଭଗବାନ ସେହି ଭଗବାନ, ଯିଏ ନିରାଶା ଭରା ସ୍ଥିତିଗୁଡ଼ିକୁ ପୁନଃ ପରିବର୍ତ୍ତନ କରିଥାନ୍ତି। ସେ ଆପଣଙ୍କ ନିମନ୍ତେ ଏହା ସାଧନ କରିବେ। ଆପଣଙ୍କ ଆଶା ଉଜ୍ଜୀବିତ କରି ରଖନ୍ତୁ। ଭରସାଯୁକ୍ତ ହୋଇ ବିଶ୍ଵାସ କରନ୍ତୁ।
ଇଂରାଜୀରେ ଏକ ସୁନ୍ଦର ଗୀତ ଅଛି। ଏହା ଆମକୁ ଉତ୍ସାହିତ କରୁଥାଏ। ତା’ର ଭାବାନୁବାଦ ନିମ୍ନରେ ଦିଆଗଲା।
ପ୍ରଭୁଙ୍କର ପ୍ରଶଂସା କର ଯଦି ତୁମେ ସଂଘର୍ଷ କରୁଛ ତୁମ ସ୍ଵପ୍ନ ସବୁ ଚୁରମାର୍ ହୋଇଯାଇଛି ତୁମର ସମସ୍ତ ଆଶା ମଉଳି ଯାଇଛି ଶୟତାନର ସୁସ୍ପଷ୍ଟ ଯୋଜନାରେ ତୁମ ଅନ୍ତର ବାଧ୍ୟ କରୁଛି ସମର୍ପି ଦେବାକୁ ଜାଗତିକ ଭୟ ନିକଟରେ ତୁମଠାରେ ଯେଉଁ ବିଶ୍ଵାସ ରହିଛି ତାକୁ ହଜାଇ ଦିଅନା। ପ୍ରଭୁଙ୍କର ପ୍ରଶଂସା କର ସେ ପ୍ରଶଂସାକାରୀଙ୍କ ମାଧ୍ୟମରେ କାର୍ଯ୍ୟ କରିଥାନ୍ତି ପ୍ରଭୁଙ୍କର ପ୍ରଶଂସା କର ସେ ପ୍ରଶଂସା ନିବାସୀନ୍ । ପ୍ରଭୁଙ୍କର ପ୍ରଶଂସା କର ତୁମେ ଯେଉଁସବୁ ଜଞ୍ଜିରରେ ବନ୍ଧା ହୋଇଛ ବୋଲି ମନେ କରୁଛ ସେସବୁ ଶକ୍ତିହୀନ ହୋଇ ଛିଣ୍ଡିଯିବ ଯଦି ତୁମେ ପ୍ରଶଂସା କର ଶୟତାନ ମିଥ୍ୟାବାଦୀ ସେ ଆମ ମୁଣ୍ଡରେ ପୁରାଇ ଥାଏ ଆମେ ସବୁ ଭିକାରୀ କିନ୍ତୁ ସେ ଜାଣେ ଆମେ ରାଜାଙ୍କର ସନ୍ତାନ ଏଣୁ ବିଶ୍ଵାସରୂପ ଢାଲ ଉଠାଅ ଯୁଦ୍ଧ ତ ଜିତା ଯାଇଛି ଆମେ ପ୍ରତ୍ୟେକ ଖ୍ରୀଷ୍ଟ ପୁନରୁତ୍ତ ଏଣୁ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି ।
ଆପଣ ଏହି ପୁସ୍ତକ ପଢ଼ୁ ପଢ଼ୁ କହିପାରନ୍ତି, “ ମୁଁ ଏକ ନିରାଶାଜନକ ପରିସ୍ଥିତିରେ ରହିଛି” । ହୁଏତ ଏହା ଆପଣଙ୍କ ବିବାହ, ଆପଣଙ୍କ ଗୃହ, ଆପଣଙ୍କ ପିଲାମାନେ, ଆର୍ଥିକ୍ ପରିସ୍ଥିତି, ଚାକିରୀ, ବୃତ୍ତି ବା ବ୍ୟବସାୟ ସମ୍ବନ୍ଧୀୟ ବା ଜୀବନର ଯେକୌଣସି ବିଷୟ ହୋଇପାରେ । ଆମେ ସମସ୍ତେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥାଉ। ମୁଁ ଆପଣଙ୍କୁ ଉତ୍ସାହିତ କରି କହିବାକୁ ଚାହେଁ – ଭରସା ହରାନ୍ତୁ ନାହିଁ। ଭରସା ନ ହରାଇବା ଅତି ଗୁରୁତ୍ଵପୂର୍ଣ୍ଣ। ଆପଣ ଭରସା ହୀନ ହେଲେ ଆପଣ ଆନ୍ତରିକ ଭାବରେ ଦୁର୍ବଳ ହୋଇଯିବେ । ଲଙ୍ଗର ବିହୁନେ ଜାହାଜର ଅବସ୍ଥା ଯେପରି ଭରସା ବିହୁନେ ମନୁଷ୍ୟର ଅବସ୍ଥା ସେପରି। ଭରସା ହରାଇଲେ ବିଶ୍ବାସ କରିବା କଷ୍ଟକର ହୋଇପଡ଼େ, କାରଣ ଭରସା ବିନା ଆପଣ ବିଶ୍ଵାସ କରିପାରିବେ ନାହିଁ।
ଈଶ୍ଵର ଓ ବାକ୍ୟରେ ଭରସା ରଖନ୍ତୁ। ଆପଣଙ୍କ ଜୀବନ ସମ୍ପର୍କରେ ଈଶ୍ଵର କ’ଣ କହିଛନ୍ତି ମନେ ପକାନ୍ତୁ ।
ପ୍ରତିଜ୍ଞା କ’ଣ ? ଆପଣ ଯେଉଁସବୁ ପ୍ରତିଜ୍ଞା ପାଇଛନ୍ତି ସେ ସବୁକୁ ଧରି ରଖନ୍ତୁ। ଈଶ୍ଵରଙ୍କ ବାକ୍ୟ ଆପଣଙ୍କ ଭରସାର ଆଧାର ହେଉ। ଈଶ୍ବର ଯାହା କହି ଅଛନ୍ତି ସେଥୁଯୋଗୁଁ ଆପଣଙ୍କ ପରିସ୍ଥିତିରେ ପରିବର୍ତ୍ତନ ଘଟିବ ବୋଲି ଆପଣ ଆଶାବାଦୀ ରହନ୍ତୁ। ଈଶ୍ଵରଙ୍କ ପ୍ରତିଜ୍ଞା ସଫଳ ହେବାର ଏକ ଚିତ୍ର ମନ ମଧ୍ୟରେ ଆଙ୍କନ୍ତୁ। ଏହାଦ୍ଵାରା ଆପଣଙ୍କ ଆଶା ଉଜ୍ଜୀବିତ ହୋଇ ରହିବ।
“ଈଶ୍ବର ଆମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବା ଠାରୁ ଅତ୍ୟଧିକ ପରିମାଣରେ ସାଧନ କରି ପାରନ୍ତି” (ଏଫିସୀ ୩:୨୦)
- ଈଶ୍ଵର ଯାହା କହିଅଛନ୍ତି ତାହା ପାଇବେ ବୋଲି ଆଶା ରଖି ବିଶ୍ଵାସ କରନ୍ତୁ।
- ନିରାଶାଜନକ ପରିସ୍ଥିତି ଆପଣଙ୍କ ବିଶ୍ଵାସକୁ ନିଷ୍କ୍ରିୟ କରିନଦେଉ।
- ସଂକଳ୍ପବଦ୍ଧ ଓ ଧୈର୍ଯ୍ୟବାନ ହୁଅନ୍ତୁ।
- ଆନନ୍ଦିତ ରୁହନ୍ତୁ ଓ ଈଶ୍ଵରଙ୍କ ପ୍ରଶଂସା କରନ୍ତୁ।